Unknown

ରାଜ୍ୟାଭିଷେକ

ଶ୍ରୀ ଦ୍ଦଳଗଞ୍ଜନ ସିଂହ ଦେବ

 

ପାଟଣା ଫିଉଡ଼େଟରୀ ଷ୍ଟେଟର ନବୀନ ନରପତି

ଶ୍ରୀ ଦ୍ଦଳଗଞ୍ଜନ ସିଂହ ଦେବଙ୍କର

ରାଜ୍ୟାଭିଷେକ ।

 

ରାଜ୍ୟାଭିଷେକ ।

————————

ଶୁଭସମାଚାର ସକଳଜନେ

ଗୁଣ ଗୁଣ ଆସି ସଶ୍ରଦ୍ଧ ମନେ

ରାଜାରାମଚନ୍ଦ୍ର            ଅନ୍ତରେ ବୀରେନ୍ଦ୍ର

ଶ୍ରୀଦଳ ଗଞ୍ଜନ ସେସିଂହାସନେ

ଶୋଭୁଛନ୍ତି ଆଜି ଶୁଭଲଗନେ ।

 

ପୁତ ହେଲା ଆଜି କର୍ଣ୍ଣଯୁଗଳ

ଶୁଣିଶୁଭେ ଶୁଭ ବାଣୀ ସକଳ

ଶ୍ରୀଦଳ ଗଞ୍ଜନ            ଚୈହାନ ଭୂଷଣ

ଲଭିଲେ ପାଟଣା ମହୀ ମଣ୍ଡଳ

ଧନ୍ୟକର୍ଣ୍ଣ ତୋର ତପସ୍ୟାଫଳ ।

 

ବାର୍ତ୍ତା ବହ ଧନ୍ୟ ତୁ ଅଟୁ ପୁଣି

ତୋଶ୍ରମେ ଏଶୁଭ ବାରତା ଗୁଣି

କହେଁ ବିଶେଷ            ଆୟୁମୋର ଶେଷ

ହେବାଯାଏ ହେଲି ତୋପାଶେ ରୁଣୀ

ମୃତ୍ୟୁଯାଏ ହେବି ତୋଗୁଣ ଗୁଣି ।

 

ଧନ୍ୟ ଦୀନବନ୍ଧୁ ଦୟା ସାଗର

କେଜାଣେ ମହିମା କେତେତୁମ୍ଭର

ଜିଯୋଗ୍ୟାସନେ            ଅର୍ପିଯୋଗ୍ୟଜନେ

ସୁଖୀକଲସର୍ବ ଜନ ଅନ୍ତର

ତବକୃପାସଙ୍ଗେ କିପଟାନ୍ତର ।

 

ଉଡ଼ବର୍ଣ୍ଣ ମଧ୍ୟ ଭାରତ ପତି

ଜଣାଏଁ ପ୍ରଭୁଙ୍କୁ କରିପ୍ରଣତି

ରଖିଲ ଯେଯଶ            ବିଚାରି ମାନସ

ରହିବ ସଦା ଏ ଶୁଭ୍ରକୀରତି

ଥିବାଯାଏ ଚନ୍ଦ୍ର ସୂର୍ଯ୍ୟ ଧରତି ।

 

ପାତ୍ରଚିହ୍ନି କଲେ ଧନ ଅର୍ପଣ

ଦେଖିକେ ନୁହଇ ଆନନ୍ଦମନ

ବିବେକୀ ପଣରେ            ଦୟାସଦ୍ଗୁଣରେ

କାହାକୁ କରିବି ସଙ୍ଗେ ତୁଳନ

ଧନ୍ୟହେ ମହତ ଅଟ ଆପଣ ।

 

ଧନ୍ୟଧନ୍ୟ ଆହେ ପାଟଣାବାସୀ

ପୂର୍ଣ୍ଣ ହେଲା ତବ ସୁକୃତ ରାଶି

ସର୍ବେଘରେଘରେ            ମାତିପ୍ରମୋଦରେ

ଦେବପଦେ ରାଜ ଶୁଭମନାସି

ସୁଖପ୍ରବାହରେ ଖେଳରେ ଭାସି ।

 

ଧନ୍ୟସେ ପଟଣା ରାଜ ଭବନ

ଯହିଁବିଜେ ଦେବ ଦଳଗଞ୍ଜନ

ବସିଣ ସୁକ୍ଷଣେ            ରାଜ ସିଂହାସନେ

ରାଜମୁକୁଟରେ ହୋଇ ମଣ୍ଡନ

କରନ୍ତି ପାଟନା ସୁଖ ବର୍ଦ୍ଧନ ।

 

ଭୁତଧାତ୍ରୀମାତଃ ହେ ବସୁନ୍ଧରେ !

ଉପମିତ କେବା ତବ ସଙ୍ଗରେ

ସେଯୋଗ୍ୟ-ନନ୍ଦନେ      ନେଇ ସଯତନେ

ଖଞ୍ଜିଲୁ ମୁକୁଟେ ମସ୍ତକୋପରେ

ଶତଧନ୍ୟବାଦ ଦିଏଁ ତୋହରେ ।

 

ଧନ୍ୟସେ ଅଟନ୍ତି, ଦଳଗଞ୍ଜନ !

ଯେକଲେ ତୁମ୍ଭଙ୍କୁ ଗର୍ଭେ ଧାରଣ

ସେହିଏ ଧରତି            ମଧ୍ୟେ ଭାଗ୍ୟବତୀ

ଲଭି ତବ ସମ ପୁତ୍ର ରତନ

ମଣିଥିବେ ଧନ୍ୟ ନିଜଜୀବନ ।

 

ରାଜୋଚିତ ଗୁଣେ ଯେଣୁ ଭୂଷଣ

ରାଜମୁକୁଟକୁ କରି ଧାରଣ

ରାଜସିଂହାସନେ            ବସିଣ ସୁକ୍ଷଣେ

ତେଣୁ ରାଜପଦ କରି ଗ୍ରହଣ

ହୋଇଲ ପାଟଣା ମହୀମଣ୍ଡନ ।

 

ପୂଜୁଛ ସଶ୍ରଦ୍ଧେ ସଦା ଭାରତୀ

ରାଜଲକ୍ଷ୍ମୀପଦେ ଅଚଳା ଭକ୍ତି

ରଖିଛ ମାନସେ            ତାଙ୍କକୃପା ବଶେ

ଅରଜିଲ ଦେବ ରାଜସମ୍ପତ୍ତି

ଉଡ଼ାଇ ରାଜନ୍ୟ ମଣ୍ଡଳେଛତି !

 

ପ୍ରଭୁପାଦେ କରେ ଏ ନିବେଦନ

ସୁଖେ ଶୁଭେ କର ପ୍ରଜା ପାଳନ

ଦୂରନ୍ତ ଦମନ            ସଜ୍ଜନ ପାଳନ

କରିଦୀନହୀନ ଦୁଃଖ ମୋଚନ

ଶୁଭେ ଥାଅଲଭି ଦୀର୍ଘଜୀବନ ।

——————

 

 

ମାଗୋ ସରସ୍ୱତୀ ବୀଣାସୁଶୋଭିନୀ

ତ୍ରିଜଗତ ପାପ ତାପ ବିନାଶିନୀ

ବିଷ୍ଣୁପାଟରାଣୀ ବିଶ୍ୱ ବିନୋଦିନୀ

ଆସମୀ ଆସମା କରୁଣାକରି

 

ଶୁଭକ୍ଷଣେକର ଶୁଭ ଆଗମନ

ସଦାନନ୍ଦ ମୟୀ ହୋଇ ସୁପ୍ରସନ୍ନ

ଆସିଆଶୀର୍ବାଦ କରଗୋ ବହନ

ନବଭୂପେଶୁଭେ ହେ ଶୁଭଙ୍କରି ।।

 

କିଆନନ୍ଦଦିନ ଆଜି ପାଟଣାର

ପୁରିଲାସୁକୃତ ରାଶି ଆପଣାର

ଆସୁନଥିଲାଯା ଲୋକକଳ୍ପଣାର

ସହସାଆଜି ତା ଘଟିଲାଫଳେ ।

 

ଦେବଦାରୁ ନବ ରସାଳ ପଲ୍ଲବ

ହାରବାନ୍ଧିଦ୍ୱାରେ ରାଜ୍ୟବାସୀ ସର୍ବ

କରୁଛନ୍ତି ଗୃହେ ଗୃହେମହୋତ୍ସବ

ଯେଶୋଭା କବିର ରସନା ବଳେ

 

 

ବାଜେ ବେଣୁ ବୀଣା ଗିନିକରତାଳ

ମୁରଜ ମନ୍ଦିରା ଝର୍ଝରା କଂସାଳ ।

ବାଜେ ଜଗଝମ୍ପ ମିଶାଇଣତାଳ

ଆହାରେ ଏକାଳ କିମଧୁମୟ ।

 

ଉଡ଼ଇ ବିବିଧ ବର୍ଣ୍ଣର ଚିରାଳ

ଶୋଭେ ସ୍ଥାନେ ସ୍ଥାନେ ତୋରଣ ବିଶାଳ

କେତେ ରମ୍ଭାତରୁ କେତେ ପୁଷ୍ପ ମାଳ

କରୁଛନ୍ତିଆଜି କିସୁଖୋଦୟ ।।

 

ଆସବନ୍ଧୁବର ଆସଦେ ବହନ

କରିବା ଦର୍ଶନ ଶୋଭା ଅତୁଳନ

ହୋଇବ ନିଶ୍ଚୟ ସାର୍ଥକ ଜୀବନ

ଚରିତାର୍ଥହେବ ନୟନବେନି ।

 

କିଶୋଭାରେ ଆଜି ପାଟଣା ନଗରୀ

ନିଅଇ ଭାବୁକ ଜନମନ ହରି

ଦୁଃଖପଦ୍ମାକର ବିମନ୍ଥନ କରି

ଶ୍ରୀଦଳ-ଗଞ୍ଜନ ଦେବଙ୍କୁ ଘେନି ।।

 

 

ରାଜୋଚିତ ସର୍ବ ସଦ୍ଗୁଣେ ମଣ୍ଡିତ

ବାଣୀପୁତ୍ର ପରି ପରମ ପଣ୍ଡିତ

ଲଭିଛନ୍ତିଆଜ ଯଶ ଅଖଣ୍ଡିତ

ରାଜ ଆଭରଣେ କିମନୋହର ।।

 

ରାଜମୁକୁଟକୁ କରିଣ ବହନ

ଶୋଭାସୁରଦଳେ ସୁରେନ୍ଦ୍ର ଯେସନ

ଧନ୍ୟରେପାଟଣା ରାଜ ସିଂହାସନ

ଗଞ୍ଜଇ ପ୍ରଭାରେ କୋଟିଭାସ୍କର

 

ଆସିଣ ହରଷେ ବୈତାଳିକ ଗଣ

କରନ୍ତି ମଙ୍ଗଳ କବିତା ପଠନ

ନର୍ତ୍ତକ ନିକର କରନ୍ତି ନର୍ତ୍ତନ

ସର୍ବେ ସମସୁଖୀ ପ୍ରସନ୍ନ ମନା ।।

 

ଗମିବିପ୍ରଗଣ ଦେବତା ମନ୍ଦିରେ

ବେଦଉଚ୍ଚାରଣ କରନ୍ତି ବିଧିରେ

କେବା ଅଭିଷେକ କରିଛନ୍ତି କ୍ଷୀରେ

କେଜପି ଗାୟତ୍ରୀ କରେ ବନ୍ଦନା ।।

 

 

ନାହିଁମନେଆଜି ବିରସ କାହାରି

ଦଳେଦଳେ ଯେତେ ରାଜକର୍ମଚାରୀ

ଜ୍ଞାନୀ ମାନୀ ଧନୀ ନିର୍ଧନୀ ଭିଖାରୀ

ଭ୍ରମନ୍ତି ସକଳେ ପ୍ରସନ୍ନ ମନେ ।

 

ଲାଗିଅଛି ଅନ୍ନ ଧନ ବିତରଣ

ମହାମୂଲ୍ୟ ପାଟ କୌଷେୟ ବସନ

ଘେନି ଯାଉଛନ୍ତି ଲୋକଅଗଣନ

ନଫେରନ୍ତି ହୋଇ ନିରାଶ ଜଣେ ।।

 

କବିଏ କବିତା ପୁଷ୍ପଗୁନ୍ଥି ହାର

ଦେଉଛନ୍ତି ନେଇ ପ୍ରେମ ଉପହାର

କାରଝରା କାର ସ୍ତବକ ସୁନ୍ଦର

କେବା ଗୋଟା ଫୁଲ ଡାଲାରେ ଭରି ।।

 

ସ୍ୱର୍ଣ୍ଣ କାର ସିନା ଜାଣେ ସ୍ୱର୍ଣ୍ଣ ତତ୍ତ୍ୱ

ସକଳେ ଲଭନ୍ତି ପରମ ମହତ୍ତ୍ୱ

ଛାଡ଼ିଭୂପହୃଦ-ରାଜ୍ୟୁଁ ଭକ୍ତିସ୍ୱତ୍ୱ

ସକଳେ ଅର୍ପନ୍ତି ପାଶେ ତାଙ୍କରି ।।

 

 

ବୀରବେଶେ ଯେତେ ପଦାତିକ ବର୍ଗ

ଲଭିଲା ପରାୟେ ହସ୍ତେ ଚଉବର୍ଗ

ଖେଳନ୍ତି ଭ୍ରମାଇ ଜ୍ୟୋତିର୍ମ୍ମୟ ଖଡ଼୍ଗ

ଦେଖିଦୁର୍ବଳର ଜନ୍ମଇ ବଳ ।।

 

ବାହୁସ୍ଫୋଟମାରି ମଲ୍ଲ ଦଳଦଳେ

ମୋହୁଛନ୍ତି ନିଜ ବୀରତ୍ୱ କୌଶଳେ

ରଖିବେକି ଯଶ ଅବନୀ ମଣ୍ଡଳେ

ସଂହାରି ଅଚିରେ ବିପକ୍ଷ ଦଳ ।।

 

ପାତ୍ର ଅମନାତ୍ୟ ପ୍ରଧାନ ସାମନ୍ତ

ଦେଶାଚାର ବିଧି ପାଳନ୍ତି ସମସ୍ତ

ନିଜ ନିଜଶାଢ଼ୀ କରି କରଗତ

ଯେଆନନ୍ଦ ଆହା କେପାରେ କହି ।

 

ଏ ଭାରତବର୍ଷେ ଛନ୍ତିଯେତେ ଆର୍ଯ୍ୟ

ଯେ ପ୍ରସାଦ ଅଟେ ତାଙ୍କ ବଡ଼କାର୍ଯ୍ୟ

ବିତରନ୍ତେ ଆଜି ତାହା ମହାରାଜ

ସୌଭାଗ୍ୟ ମଣଇ ପାଟଣା ମହୀ ।।

 

 

ବାଳ ବୃଦ୍ଧ ଯୁବା ଧନୀକ ନିର୍ଧନ

ଦୁର୍ବଳ ସବଳ ମୂର୍ଖ ଜ୍ଞାନୀ ଜନ

ଲଭି ସୁଖେ ଆଜ ନବୀନ ରାଜନ

ରାଜଶୁଭେ ସର୍ବେ ପୂଜନ୍ତି ହରି ।

 

ମାତି ନବୋତ୍ସାହେ ବାଳିକା ଯୁବତୀ

ସ୍ଥାପି କୁମ୍ଭ, ଜାଳି ଘୃତଦୀପେ ବତୀ

କରାନ୍ତି ଦେବଙ୍କୁ ମଙ୍ଗଳ ଆରତୀ

ଆପଣାର ଗୃହ କର୍ମ୍ମ ବିସ୍ମରି ।।

 

ବୋଲେ ବୃଦ୍ଧାଥିଲେ ମୋଯୁବାବୟସ

ହୁଳ ହୁଳିଦେଇ କମ୍ପାନ୍ତି ଆକାଶ

ତୁଣ୍ଡେ ନାହିଁଦନ୍ତ ମୁଣ୍ଡେନାହିଁ କେଶ

ନୟନେ ଅଦୃଶ୍ୟ କିହେଲା ଆହା !।

 

ଜଣାଏଁ ପ୍ରଭୁଙ୍କୁ ଯୋଡ଼ି ବେନିକର

ମୋ ଆୟରୁ ବୃଦ୍ଧି ପାଉ ଭୂପଙ୍କର

ସର୍ବୋରିଷ୍ଟ ନଷ୍ଟ କରନ୍ତୁ ତାଙ୍କର

ରଖନ୍ତୁ ଦେଇଣ ସ୍ୱବାହୁ ଛାୟା ।।

 

 

ଲଭି ନବନୃପ ଗ୍ରାମ୍ୟ ଶିଶୁଗଣ

କରି ଚିତ୍ରବାସେ ଅଙ୍ଗ ସୁଶୋଭନ

କରିବାକୁ ଆସି ମିଷ୍ଟାନ୍ନ ଭକ୍ଷଣ

କରୁଛନ୍ତି କେତେ ରଙ୍ଗରେଖେଳ ।

 

କୁଳ ବିନାଶିନୀ ଯୁବତୀ କୁଳଟା

ବତାଇଣଅଙ୍ଗେ ସୌନ୍ଦର୍ଯ୍ୟର ଘଟା

ଚାଲନ୍ତି ଯୁବକେ ମାରି ଢେଗଛଟା

ଏହିସିନା ତାଙ୍କ କୌତୁକବେଳ ।

 

ଚିର ପ୍ରପୀଡ଼ିତ ରୋଗ-ଭୋଗୀଜନ

ବସି ଶଯ୍ୟାପରେ କରଇ କ୍ରନ୍ଦନ

ବଳନାହିଁ କରିନପାରେ ଗମନ

ନପାରିଲି ଥରେ ଉତ୍ସବଦେଖି ।

 

କେଡ଼େ ଭାଗ୍ୟହୀନ ଜଗତେ ମୁଁ ଆହା !

ଦେଇଛି ବିଧାତା ମାରି ସୁଖରାହା

ଯେଜନ ସକଳ ଦେଖୁଥିବେ ତାହା

ତାଙ୍କୁ ଏକା ଭାଗ୍ୟବାନରେ ଲେଖି ।।

 

 

ଧନ୍ୟ ଧନ୍ୟ ଆହା କିଶୋଭା ପାଟଣା

ଦିବାନିଶି କିଛି ପଡ଼ୁନାହିଁ ଜଣା

ଅଣ୍ଟୁନାହିଁ ଏଥି ଭାବୁକ କଳ୍ପଣା

ଶତଚନ୍ଦ୍ର ସତେ ମର୍ତ୍ତ୍ୟେ ଉଦୟ ।

 

ଯହିଁ ଦେଖତହିଁ ଦୀପମାଳା ଜଳେ

ସେଛଟା ତାରକା ପଙ୍କି ପ୍ରଭାଦଳେ

ଆଲୋକେ ଆଲୋକ ଦିଗନ୍ତ ଉଚ୍ଛୁଳେ

ଶ୍ରୀହରି କୃପାରେ କି ଅଭ୍ୟୁଦୟ ।।

 

କଳାଘନ କାନ୍ତି ଦ୍ୱିରଦ ନିକର

ସୁବର୍ଣ୍ଣ ଅମାରି ଘେନି ପୃଷ୍ଠପର

ମନ୍ଦେ ମନ୍ଦେ ଉଡ଼ି ଝୁଲଇ ଝାଲର

ଝୁଲି ଝୁଲିଯାନ୍ତି ରାଜବର୍ତ୍ତ୍ମରେ ।

 

ବୃଂହିତ ନିନାଦ କଲେ ଥରେଥରେ

ପାଞ୍ଚଇ ଏସନ ମାନସ ମଧ୍ୟରେ

ମହୋତ୍ସବସୁଖ ଲଭି କୌତୁକରେ

ପ୍ରଚାରନ୍ତି ରାଜ ବୀର୍ଯ୍ୟ ଦର୍ପରେ ।।

 

 

କେତେବର୍ଣ୍ଣେ କେତେ ଅଶ୍ୱ କେତେପରି

ଯାଉଛନ୍ତି ବାୟୁ ତରଙ୍ଗେ ସନ୍ତରି

ଅକାତରେ ପୃଷ୍ଠେ ଆରୋହୀକୁ ଧରି

କିବା ସୌଦାମିନୀ ଖେଳେ ଭୂତଳେ ।

 

ବିଦ୍ୟୁ ଶେଷେ ଯେହ୍ନେ ବାରିଦ ଗର୍ଜ୍ଜନ

ଉଭାହେଉଁ ଘୋଣା ଫୁତ୍କାର ଜେସନ

ରାଜା ବିଜେକଲେ ବିଚାରେ କି ମନ

ଭ୍ରମନ୍ତା ସେଥରେ ଶତ୍ରୁଗହଳେ ।

 

ଶାନ୍ତ ସୁବିବେକ ବଦାନ୍ୟ ଶେଖର

ସୁନୀତି-ଜନନୀ-ପଦ ପରିକର

ଗୁଣୀ ଗୁଣଜ୍ଞାତା ଗୁଣୀକ ପ୍ରବର

ଦୟା ଦାନଧର୍ମ ବିବେକ ପଣେ ।

 

ବହୁ ରାଜଧାନୀ କରିଛି ଦର୍ଶନ

ଦେଖିଛି ବିଭବବନ୍ତ ଅଗଣନ

କିନ୍ତୁ ତୁଳନାକୁ ଶ୍ରୀ ଦଳଗଞ୍ଜନ

ସମ ସରି କରି ନଦେଖେ ଜଣେ ।।

 

 

ନାହିଁ ମନେତିଳେ ଗର୍ବ ଅହଙ୍କାର

ସଦା ସମ-ଦର୍ଶୀ ପରମ ଉଦାର

କ୍ରୋଧେ ବହ୍ନିସମ ଶାନ୍ତ ଜଳାକାର

ଧନଜନ କିଛି ନୁହଇ ଉଣା ।

 

ଲଭିଛନ୍ତି ଶୁଭେ ସୁନ୍ଦର କୁମାର

ଅତୁଲ୍ୟ ଯାହାଙ୍କ ତୁଳନାକୁ ମାର

ଶିଳ୍ପ କଳାପୂର୍ଣ୍ଣ ଶିଳ୍ପୀ ବିଧାତାର

ସଦାକାଳେ ଅଛି ପ୍ରଭୁକରୁଣା ।।

 

ଧନ୍ୟ ଏପାଟଣା ରାଜସିଂହାସନ

କିଶୋଭା ଘେନିଣ ନବୀନ ରାଜନ

ଧନ୍ୟ ନେତ୍ରବେନି ଧନ୍ୟତା ଜୀବନ

ଯେ ଏହା ଦର୍ଶନ କରିଛି ଥରେ ।।

 

ଉଭା ହୋଇ ଦଳେଦଳେ ପରିକର

ଢାଳୁଛନ୍ତି ଶ୍ୱେତ ସୁନ୍ଦର ଚାମର

ଉର୍ଦ୍ଧ୍ୱେ ଚନ୍ଦ୍ରାତପ କିବା ମନୋହର

ପାର୍ଶ୍ୱ ଶୋଭାଁ କଳା ଧଳାଛତ୍ରରେ ।।

 

 

କେତେମତେ ବାଦ୍ୟସଙ୍ଗେ କରିବାଦ

କୁଳ କାମିନୀଙ୍କ ହୁଳହୁଳି ନାଦ

ଉଠେ ନଭେ ଲଭି ପବନ ପ୍ରସାଦ

ଶୁଣାଉଛି ସୁର ରମଣି ବ୍ରଜେ ।

 

ଶୁଣି ସୁରବାଳା ନନ୍ଦନ କାନନେ

ବରଷନ୍ତି ପୁଷ୍ପରାଶି ହର୍ଷମନେ

ଦେଖନ୍ତି ପାଟଣା ଉତ୍ସବ ସୁମନେ

ତୋଷନ୍ତି ପବନେ କୁସୁମରଜେ ।

 

ନୃତ୍ୟ ପରାୟଣା ତରଙ୍ଗ ମାଳିନୀ

ସଦା ସ୍ନେହଶୀଳା ସ୍ନେହ ଶୈବଳିନୀ

ନାଚି ନାଚିକରି କଳକଳ ଧ୍ୱନୀ

ଶୁଭ ସମାଚାର ପ୍ରଚାରେ ଖରେ ।।

 

ଏବାରତା ଶୁଭେ ଶୁଣିଚିତ୍ରୋତ୍ପଳା

ପରରାଷ୍ଟ୍ର ଯଶ; ପ୍ରଚାର କୁଶଳା

ରୌପ୍ୟ ଶଙ୍ଖଚାରୁ ଶଶାଙ୍କ ଧବଳା

ଯଶୋଗାନକରି ଗମେ ପ୍ରେମରେ ।

 

 

ତୀରତରୁ ଚୁଡ଼ୁଁ ଶୁଣିଣ ବିହଙ୍ଗେ

ଭାସି ଭାସି ନବସମୀର ତରଙ୍ଗେ

ବନଦେବୀ ମଞ୍ଜୁ ବୀଣାବାଦୀ ସଙ୍ଗେ

ନବନବରଙ୍ଗେ କରନ୍ତି ଗାନ ।

 

ପ୍ରଣୟୀ-ପାଦପ ପ୍ରେମିକା ବଲ୍ଲରୀ

ପ୍ରେମଡୋରେ ତନୁ ଛନ୍ଦାଛନ୍ଦି କରି

କେତେନବୋତ୍ସ ହେ ନବବେଶଧରି

ବିତରନ୍ତି ପୁଷ୍ପ ରତନ ମାନ ।।

 

ଏହିପରି ଆଜ ରାଜ ମହୋତ୍ସବ

ପାଟଣା-ବାସୀଙ୍କ ଆନନ୍ଦ ବିଭବ

ବର୍ଣ୍ଣନାରେ ବଡ଼ କବି ଜଡ଼ହେବ

ନପାରେ ବର୍ଣ୍ଣିସେ ଶୋଭା ସମ୍ଭାର ।

 

ଶୁଭବାର୍ତ୍ତା ଶୁଭେ କରିଣ ଶ୍ରବଣ

ମର୍ତ୍ତ୍ୟ ଅମର୍ତ୍ତ୍ୟର ମରାମର ଗଣ

କରନ୍ତି ଆଶିଷ-ସୁଧା ବରଷଣ

ଏଭାଗ୍ୟ ଜଗତେ ଅଛି କାହାର ।

 

 

ଧନ୍ୟ ଭିକ୍ଟୋରିୟା ରାଜରାଜେଶ୍ୱରୀ

ଧନ୍ୟଧନ୍ୟ ତୁମ୍ଭେ ନାରୀକୁଳେଶ୍ୱରୀ

ଗୁଣର ମର୍ଯ୍ୟାଦା ଜାଣ ଭଲକରି

ସଦ୍ଗୁଣ ପ୍ରତିମା ତୁମ୍ଭେ ଏଭବେ ।

 

ଶ୍ରୀ ଦଳଗଞ୍ଜନ ଗୁଣିକ ପ୍ରବର

ଗୁଣରାଶି କର୍ଣ୍ଣେ ପ୍ରବେଶୁଁ ତୁମ୍ଭର

ବିସ୍ତୃତ ପାଟଣା ସମର୍ପିଲ କର

ଏଯଶ ସର୍ବଦା ଗାଇବେ ସର୍ବେ ।।

 

ଧନ୍ୟ ରାଜ-ପ୍ରତି ନିଧି ଉଡ଼୍‌ବର୍ଣ୍ଣ

ତୁମ୍ଭର କରୁଣା ନୁହଇ ସାମାନ୍ୟ

ଅର୍ପିଲ ପାଟଣା ରାଜ ସିଂହାସନ

ଗୁଣି ଗୁଣଗ୍ରାମ ଶ୍ରବଣକରି ।

 

ଏହିପରି ସଦା ଭାରତରେ ରହି

କରୁଥାଅ ସଦା ସାନନ୍ଦିତ ମହୀ

ଯୁଗପରେ ଯୁଗ ଯାଉଥାଉ ବହି

ସଦୟ ହୁଅନ୍ତୁ ସର୍ବଦା ହରି ।

 

 

ଆହେ ଗବର୍ଣ୍ଣର ହେ କମିଶନର

ନୀତିଜ୍ଞ ହେ ତୁମ୍ଭେ ଜଗତ ଭିତର

ତବ କୃପାବଶେ ପାଟଣାଧୀଶ୍ୱର

ଶ୍ରୀ ଦଳଗଞ୍ଜନ କ୍ଷତ୍ରିୟ ବର ।

 

ଶୋଭନ୍ତି ପାଟଣା ରାଜ ସିଂହାସନେ

ପ୍ରଜାପୁଞ୍ଜ ପୁତ୍ର ପରାୟ ପାଳନେ

ଦୁଃଖୀ ଦୀନହୀନ ଦୁଃଖ ବିମୋଚନେ

କରଣେ ଅନୀତି ସଙ୍ଗେ ସମର ।

 

ହେ ମହାମହିମ ପାଟଣା-ମଣ୍ଡନ

ରାଜୋଚିତଗୁଣେ ହୋଇ ବିଭୂଷଣ

ଦେବ ଦ୍ୱିଜେଭକ୍ତି ରଖି ଚିରନ୍ତନ

ସର୍ବଦା ସଶ୍ରଦ୍ଧେ ପୂଜହେ ହରି ।

 

ଶ୍ରୀହରି ଶ୍ରୀପଦେ କରେ ନିବେଦନ

କରନ୍ତୁ ଦୀର୍ଘାୟୁ ପତିତ ପାବନ

କର ଯୁଗେ ଯୁଗେ ପ୍ରଜାଙ୍କୁ ପାଳନ

କୀରତି ମୁକୁଟ ମସ୍ତକେ ଧରି ।।

 

ସମାପ୍ତ